ଭୁବନେଶ୍ୱର, ୩୦/୧୨: ସୋମବାର ଓଡି଼ଶାର ଉତ୍ତର ପଶ୍ଚିମାଞ୍ଚଳର କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହୋଇପାରେ । ବାକି ଅନ୍ୟ ଜିଲ୍ଲା ପାଗ ପ୍ରାୟତଃ ଶୁଖିଲା ରହିବ । କିନ୍ତୁ ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଘନ କୁହୁଡି଼ ଲାଗି ରହିବ । ସେଥିପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି, ଆସନ୍ତା ୩୧ରେ ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ସମ୍ବଲପୁର, କେନ୍ଦୁଝର, ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କି ଦୁଇଟି ଜାଗାରେ ମଧ୍ୟମ ଧରଣର କୁହୁଡି଼ ପଡି଼ବ । କିନ୍ତୁ ଜାନୁଆରୀ ୫ ଯାଏ ସାରା ରାଜ୍ୟର ପାଗ ଶୁଖିଲା ରହିବ ।
ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ମୁତାବକ, ଗତ ୨୬ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟର ଭୟ ଓଡି଼ଶାକୁ ନାହିଁ । ଜାନୁଆରୀ ୩ରେ ମଧ୍ୟ ଏକ ଚାପ ସୃଷ୍ଟି ହେବ । ଏହି ଚାପର ପ୍ରଭାବ ମଧ୍ୟ ଓଡି଼ଶାରେ ପଡି଼ବନି । ଗତ ୩ ଦିନ ଧରି ରାଜ୍ୟରେ ଟୋପାଟିଏ ବର୍ଷା ହୋଇନି । ଖାଲି ଯାହା, ଅଳ୍ପ ମାତ୍ରାରେ ଶୀତ ବଢ଼ିଛି । ସପ୍ତାହେ ଯାଏ ପାଗ ଖରାଟିଆ ଓ ଶୁଖିଲା ରହିବ । ଏବେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ସର୍ବାଧିକ ଶୀତ ଅନୁଭୂତ ହେବ । ତା’ ପରେ ଦକ୍ଷିଣ ଆଭ୍ୟନ୍ତରରେ ସର୍ବନିମ୍ନ ତାପମାତ୍ରା କମିଯିବ ।
ଶ୍ରୀ ପଶୁପାଳକଙ୍କ ପରାମର୍ଶ ମୁତାବକ, ଶୁଖିଲା ପାଗ ହେତୁ ଚାଷୀମାନେ ବତୁରୀ ଥିବା ଧାନ ଫସଲକୁ ଉଠାଇ ଆଣି ଖଳାରେ ଶୁଖାନ୍ତୁ । ବିଲରୁ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା କରନ୍ତୁ । ବତୁରା ମାଟିରେ ଜଳସେଚନର ସୁବିଧା ଥିଲେ, ପନିପରିବା ଲଗାନ୍ତୁ । ଅଣଜଳସେଚିତ ଜମିରେ ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷ କରନ୍ତୁ । ଯେଉଁ ଜଳସେଚିତ ଜମିରେ ଖରିଫ ଧାନ ଫସଲ ଉଜୁଡି଼ ଯାଇଛି, ସେଠି ଖରାଟିଆ ଧାନ ଫସଲ କରାଯାଇପାରିବ । ଜାନୁଆରୀ ୧୫ ସୁଦ୍ଧା ତଳି ପକାଇଦେବା ଉଚିତ୍ । ଫେବ୍ରୁଆରୀ ୧୫ ସୁଦ୍ଧା କେନାଲ ପାଣି ଛଡ଼ାଗଲେ, ଚାଷ ସୁବିଧାଜନକ ହେବ । ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି, ସମୁଦ୍ର ପଟୁ ସେତେଟା ପବନ ବୋହୁନି । ଆକାଶ ମେଘମୁକ୍ତ ଅଛି । ବାୟୁମଣ୍ଡଳରେ ଜଳୀୟବାଷ୍ପ ବିଶେଷ ନାହିଁ । ତେଣୁ ଶୀତ ପ୍ରଭାବ କମିବ । ଏବେ ଖରାଟିଆ ପାଗ ରହିବ । ୩୧ ତାରିଖରୁ ପୁଣି ଶୀତ ଫେରିବ । ନୂଆବର୍ଷ ପରେ ଧୀରେ ଧୀରେ ଶୀତ ବଢ଼ିବ । ରାଜ୍ୟକୁ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ପବନ ବୋହୁଛି । ତେଣୁ ଶୀତ ପ୍ରଭାବ ଦେଖିବାକୁ ମିଳୁଛି ।